ଓଡ଼ିଶା ମାଲକାନଗିରି ଜିଲ୍ଲାର ଧୁଙ୍ଗିଆପୁଟ ଅଞ୍ଚଳର ଗଙ୍ଗାହରୀ ଜିନୁ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗତ ୨୦୨୦ ମସିହାରୁ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର୍ ଦାୟିତ୍ଵ ତୁଲାଇ ଆସୁଛନ୍ତି। ସେମାନେ ଏହି ଟିଫିନ୍ ସେଣ୍ଟର୍ ମାଧ୍ୟମରେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ସେମାନେ ପୁଷ୍ଟିଶସ୍ୟରୁ ବରା, ପକୁଡ଼ି, ନିମକି, ସିଙ୍ଗଡ଼ା, ଲଡୁ, ସୁଆଁ ଉପମା, ଆଳୁଚପ୍ ଓ ବିଭିନ୍ନ ପ୍ରକାରର ପିଠା ଆଦି ୧୩ରୁ ଉର୍ଦ୍ଧ୍ବ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଏହି ଅଞ୍ଚଳର ଲୋକମାନେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଟିଫିନ୍ କୁ ପସନ୍ଦ କରିବା ସହ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।
ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଘରର ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ନହୋଇ ଏବେ ଦିନକୁ ୩ ରୁ ୪ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଯାହାକି ନିଜର ଗୁଜୁରାଣ ମେଣ୍ଟାଇବାରେ ଅତ୍ୟନ୍ତ ସାହାଯ୍ୟକାରି ହୋଇପାରୁଛି। ଏହାଦ୍ବାରା ସେମାନେ ନିଜ ଜୀବନରେ ଏକ ସ୍ବତନ୍ତ୍ର ପରିବର୍ତ୍ତନ ଆଣି ପାରିଛନ୍ତି, ଯାହାଦ୍ବାରା ପରିବାର ମୁହଁରେ ହସ ଫୁଟାଇପାରିଛି। ନିଜ ପିଲା ଛୁଆଙ୍କୁ ପାଠ ପଢ଼ାଇବା ସହ ଘର ଖର୍ଚ୍ଚରେ ସହଯୋଗ ମଧ୍ୟ କରିପାରୁଛନ୍ତି। ସେମାନେ ନିଜର ସଫଳତା ପାଇଁ ଶ୍ରୀ ଅନ୍ନ ଅଭିଯାନକୁ ସମ୍ପୁର୍ଣ୍ଣ ଶ୍ରେୟ ଦେଉଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ