ଓଡିଶା ଦିନକୁ ଦିନ କୃଷି କ୍ଷେତ୍ରରେ ଅଗ୍ରଗତି ଲାଭ କରିବାରେ ଲାଗିଛି। ଚାଷୀମାନେ ସଶକ୍ତ ହେବା ସହ ଭିନ୍ନ ପ୍ରକାରର ଚାଷ ଯଥା : ଧାନ, ପୁଷ୍ଟିଶସ୍ୟ, ମତ୍ସ୍ୟ ଚାଷ, ପନିପରିବା, ଫଳ, ଗୋପାଳନ ଭଳି ଚାଷ ଜୈବିକ ପ୍ରଣାଳୀରେ କରୁଛନ୍ତି। ସେମାନଙ୍କ ଚାଷରେ ଉନ୍ନତି ଏବଂ ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା, ଉନ୍ନତ ଜ୍ଞାନକୌଶଳ ଏବଂ ଉନ୍ନତ ଯନ୍ତ୍ରପାତି ମଧ୍ୟ ଯୋଗାଇ ଦିଆଯାଉଛି। ଜୈବିକ ପଦ୍ଧତିରେ ଚାଷ କରି ରାଜ୍ୟରେ ଅନେକ ଚାଷୀ ସଫଳ ବିବେଚିତ ହେଉଛନ୍ତି। ଯାହାକି କୃଷି କ୍ଷେତ୍ରରେ ରାଜ୍ୟ ପାଇଁ ଏକ ଗୌରବର ବିଷୟ ଅଟେ।
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନିଶ୍ଚିନ୍ତପୁର ଗ୍ରାମର ଜ୍ଞାନରଞ୍ଜନ ଦାସ ନାମକ ଜଣେ ଚାଷୀ ନିଜର ଜମିରେ ଜୈବିକ ପଦ୍ଧତିରେ ମତ୍ସ୍ୟ ଚାଷ ସହ ପନପରିବା ଚାଷ ମଧ୍ୟ କରୁଛନ୍ତି। ମତ୍ସ୍ୟ ଚାଷ ସମ୍ବନ୍ଧରେ ସେ ଅବଗତ ନଥିଲେ ମଧ୍ୟ ସରକାରଙ୍କ ତରଫରୁ ସେ ୨ ବର୍ଷ ତାଲିମ ନେଇ ମତ୍ସ୍ୟ ଚାଷ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ସହଯୋଗ ପାଇ ଗତ ଦୁଇ ବର୍ଷ ହେଲା ଉନ୍ନତ ପ୍ରଣାଳୀରେ ମତ୍ସ୍ୟ ଚାଷ କରି ଭଲ ଲାଭବାନ ହୋଇପାରିଛନ୍ତି। ସେ ନିଜେ ଜୈବିକ ଉପାୟରେ ମାଛ ଦାନା ପ୍ରସ୍ତୁତ କରି ମାଛ ପୋଖରୀରେ ପ୍ରୟୋଗ କରୁଛନ୍ତି। ଭବିଷ୍ୟତରେ ଅନ୍ୟ ଚାଷୀ ଭାଇଙ୍କ ପାଖରେ ଜୈବିକ ଖାଦ୍ୟ ପହଞ୍ଚାଇବା ପାଇଁ ଆଶା ବାନ୍ଧିଛନ୍ତି। ସେ ଏହି ପର୍ଯ୍ୟାୟରେ ବାର୍ଷିକ ପ୍ରାୟ ୧୫ କ୍ଵିଣ୍ଟାଲ ମାଛ ଉତ୍ପାଦନ କରିପାରୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ