ରାଜ୍ୟର କିଛି ଜିଲ୍ଲାରେ ଜଳସେଚନର ଅନେକ ଅସୁବିଧା ଦେଖିବାକୁ ମିଳୁଛି। ସରକାରଙ୍କ ଦ୍ଵାରା ନିର୍ମିତ ଜଳସେଚନ ଉତ୍ସ ଦ୍ଵାରା କିଛି ଜମିରେ ଜଳସେଚନ ପାଇଁ ଚାଷୀମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ନିଜ ଚାଷ ଜମିରେ ଉଚିତ୍ ଜଳସେଚନ କରିବା ପାଇଁ ଜଳ ସଂରକ୍ଷଣକୁ ଆଖିରେ ରଖି ମାନ୍ୟବର ରାଜ୍ୟସରକାର ଜଳଧାରା ଯୋଜନା ଦ୍ବାରା ଚାଷୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଯାହାଦ୍ବାରା ଚାଷୀ ନିଜ ଜମିରେ ଯାନ୍ତ୍ରିକ ପଦ୍ଧତିରେ କ୍ଷେତ ପୋଖରୀ ଖନନ କରିପାରିବେ। ଏହି ଯୋଜନା ଦ୍ୱାରା ଅନେକ ଚାଷୀ ଉପକୃତ ହୋଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର।
ଜଳଧାରା ଯୋଜନାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କୁ ୯୫ ପ୍ରତିଶତ ଏବଂ ସାଧାରଣ ବର୍ଗ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ମିଳିପାରିବ। ଏତଦ୍ ବ୍ୟତୀତ କୋରାପୁଟ, ମାଲକାନାଗିରି, ବଲାଙ୍ଗିର, ନୂଆପଡା, ବରଗଡ଼ ଓ କଳାହାଣ୍ଡିର ଚାଷୀଙ୍କୁ ଏହି ସୁବିଧା ମିଳିବ ବୋଲି ମାନ୍ୟବର ସରକାର ମତବ୍ୟକ୍ତ କରିଛନ୍ତି। ନିଜସ୍ଵ ଜମିରେ କ୍ଷେତ ପୋଖରୀ ଖନନ ଦ୍ଵାରା ଚାଷୀମାନେ ପୋଖରୀ ହୁଡ଼ା ଏବଂ ପୋଖରୀ ଚାରିପଟେ ଥିବା ଚାଷଜମିରେ ଚାଷ କାର୍ଯ୍ୟ ପାଇଁ ପୋଖରୀର ଜଳକୁ ବ୍ୟବହାର କରିପାରିବେ। ପୋଖରୀରେ ମାଛ ଚାଷ ମଧ୍ୟ ସୁବିଧାଜନକ ହୋଇପାରିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ