କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳର ଶ୍ରୀ ବ୍ରଜକିଶୋର ନାୟକ ନାମକ ଜଣେ ଶିକ୍ଷିତ ଯୁବ ଚାଷୀ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ତତ୍ତ୍ଵାବଧାନରେ ନିଜର ୨ ଏକର ଜମିରେ ପିଜୁଳି ଚାଷ କରିଛନ୍ତି। ପିଜୁଳି ଚାଷ ଦ୍ଵାରା ନିଜେ ସ୍ବାବଲମ୍ବୀ ହେବା ସହ ଆଖପାଖର କିଛି ଲୋକଙ୍କୁ ମଧ୍ୟ ରୋଜଗାର ଯୋଗାଉଛନ୍ତି। ରାଜ୍ୟର ଅନେକ ଲୋକ ବିଦେଶରେ ରହି ଜୀବନଯାପନ କରିବା ଅପେକ୍ଷା ନିଜ ଅଞ୍ଚଳରେ ଚାଷ କାର୍ଯ୍ୟ କରି ପରିବାର ଚଳାଇବା ପାଇଁ ବେଶ୍ ଉପଯୁକ୍ତ ମନେକରୁଛନ୍ତି। ଚାଷ ମଧ୍ୟରେ ବିଭିନ୍ନ ପ୍ରକାରର ଚାଷ ଉପରେ ଆତ୍ମନିର୍ଭରଶୀଳ ହେଉଛନ୍ତି। ସେହିପରି ବ୍ରଜକିଶୋର ଦୁଇ ପ୍ରକାର ପିଜୁଳି ଚାରା କର୍ଣ୍ଣାଟକରୁ ଆଣି ନିଜ ଜମିରେ ରୋପଣ କରିଥିଲେ।
ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ସହଯୋଗ ପାଇବା ପରେ ୭ ମାସ ତଳେ ଏହି ଚାରା ସେ ରୋପଣ କରିଥିଲେ, ଯାହାକି ଏବେ ଏହା ଭଲ ଅମଳକ୍ଷମ ହୋଇପାରିଛି। ସେ ତାଙ୍କ ଜମିରୁ ପ୍ରତିଦିନ ୩୦ ରୁ ୪୦ କେଜି ପିଜୁଳି ଉତ୍ପାଦନ କରୁଛନ୍ତି। ଉତ୍ପାଦିତ ଫଳକୁ ନିଜର ସ୍ଥାନୀୟ ବଜାରରେ କିଲୋ ପ୍ରତି ୬୦ ରୁ ୭୦ ଟଙ୍କା ଦରରେ ବିକ୍ରୀ କରି ଭଲ ଅର୍ଥ ଉପାର୍ଜନ କରିପାରୁଛନ୍ତି। ପିଲାଦିନରୁ ପିଜୁଳି ଚାଷ କରିବା ପାଇଁ ଏକ ଲକ୍ଷ୍ୟ ରଖିଥିଲେ ବୋଲି ମଧ୍ୟ ବ୍ରଜକିଶୋର କହିଛନ୍ତି। ଅନ୍ୟ ପନିପରିବା ଅପେକ୍ଷା ପିଜୁଳିର ଚାହିଦା ଯଥେଷ୍ଟ ରହିଥିବାରୁ ସେ ଏହି ଚାଷ କରିବା ପାଇଁ ମନସ୍ଥ କରିଥିଲେ। କେବଳ ନିଜର ରୋଜଗାର ନୁହଁ ବରଂ ଅନ୍ୟ ଯୁବପିଢି ପାଇଁ ଏକ ପ୍ରେରଣା ମଧ୍ୟ ସାଜିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ