ହଳଦୀକୁ ପ୍ରଧାନତଃ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ ଠାରୁ ମେ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲଗାଇବା ଦରକାର l ହେକ୍ଟର ପିଛା ୧୫ କୁଇଣ୍ଟାଲ ହଳଦୀ ମୁଣ୍ଡା ଓ ପୁଆ ଦରକାର ହୋଇଥାଏ। ଯାହାଦ୍ଵାରା ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ। ହଳଦୀ ଚାଷ ପାଇଁ ନିଗିଡ଼ା, ବାଲିଆ, ଦୋରସା, ମଟାଳ, ନାଲି ମାଟି ଉପଯୁକ୍ତ ଅଟେ। ଭଲ ଅମଳ ଦେଉଥିବା ହଳଦୀ କିସମଗୁଡ଼ିକ ମଧ୍ୟରେ ରୋମା, ସୁରମା, ରଙ୍ଗ, ରଶ୍ମି, ରାଜେନ୍ଦ୍ର, ସୋନିଆ ଏବଂ ଲାକଡେଙ୍ଗ୍ ଅନ୍ୟତମ ଅଟନ୍ତି। ବର୍ଷା ଉପରେ ନିର୍ଭର କରି ହଳଦୀ ଲଗାଯାଏ, ତେଣୁ ପାଣିର ଆବଶ୍ୟକତା ବିଶେଷ ନଥାଏ। ବର୍ଷା ଋତୁ ପରେ ଅକ୍ଟୋବର ମାସଠାରୁ ପ୍ରତି ୧୫ ଦିନରେ ଥରେ ପାଣି ମଡାଇବା ଦରକାର।
ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ। କୁରକୁମିନ୍ ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ। ହଳଦୀ ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ। ବିଭିନ୍ନ ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ ଗୋମୂତ୍ରସହିତ ସେବନ କରାଯାଏ।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ