ସକଳ ଜୀବର ଆଧାର-ମାଟି

ମୃତ୍ତିକା ସକଳ ଜୀବଜଗତ ସୃଷ୍ଟିର ମୁଖ୍ୟ ଆଧାର ତାଆଠୁ ଆରମ୍ଭ ହୁଏ ଜୀବନ ଜିଇଁବାର କାହାଣୀ ଆଉ ତାରି ଉପରେ ଛିଡା ହୋଇ ମଣିଷ ଗର୍ବ କରେ ଓ ମୁଣ୍ଡ ଉପରକୁ କରି ବାଟ ଚାଲେ ।ଆଧୁନିକ ମଣିଷ କେତେ ଉନ୍ନତ ହେଉଥାଉନା କାହିଁକି ସେ ସବୁବେଳେ ପ୍ରକୃତି ପ୍ରଦତ୍ତ ସମ୍ବଳ ଉପରେ ହଁ ନିର୍ଭର ଶିଳ । ଇଣ୍ଟରନେଟ୍‌ ଯୁଗ ହେଲେ ମଧ୍ୟ ଖାଦ୍ୟ ଶସ୍ୟ ପାଇଁ ମୃତ୍ତିକାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ଜୀବଜଗତଠୁ ଆରମ୍ଭ କରି ମହାଦୂର୍ମ,ସମୁଦ୍ର ପର୍ଯ୍ୟନ୍ତ ଯାହାଭି କିଛି ମଣିଷକୁ ସ୍‌ବବାଭଲମ୍ବି କରେ ସବୁ ଏଇ ମୃତ୍ତିକା ବା ମାଟି ଉପରେ ହଁ ବିଦ୍ୟମାନ । ମାଟିକୁ ମା ମଧ୍ୟ କୁହାଯାଏ,ଜନ୍ମ ଦାତ୍ରି ମା ଭଳି, ସେ ତା କୋଳର ସମସ୍ତଙ୍କୁ ଆଶ୍ରୟ ଦେଇ ,ବକ୍ଷରୁ ଅମୃତ ସଦୃଶ ଜଳ ଦେଇ ବଞ୍ଚିବା ସିଖାଇଛି ଏବଂ ଓଜାଡି ଦେଇଛି ନାନା ଦି ଖାଦ୍ୟ ଶସ୍ୟ ତତ୍‌ ସହିତ ଗଢିତୋଳିଛି ମନରମୋ ପରିବେଶ ।ଯେ ପର୍ଯ୍ୟନ୍ତ ଜୀବନ ଅଛି ଭୋକ ଭି ଅଛି ଆଉ ମେଣ୍ଟାଇବା ପାଇଁ ଖାଦ୍ୟ ଶସ୍ୟ ଆବଶ୍ୟକତା ମଧ୍ୟ ରହିଛି ଏବଂ ଖାଦ୍ୟ ଶସ୍ୟ ପାଇଁ ଉର୍ବର ମାଟିର ଆବଶ୍ୟକ ମଧ୍ୟ ରହିଛି ସୁତରାଂ ଜୀବଜଗତ ବଞ୍ଚି ରହିବାର ଏକ ମାତ୍ର ମାଧ୍ୟମ ମାଟି । କିନ୍ତୁ ବିଂଶ ଶତାବ୍ଦୀର ମଣିଷ ବୁଝିବାକୁ ନାରାଜ,ନିଜର ବୁଦ୍ଧି ଏବଂ ବଳ ପାଇଁ ଅନ୍ଧ ମଣିଷ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ଆଶାରେ ଧୀରେ ଧୀରେ ମୃତ୍ତିକା ଓ ତା ପରିବେଶକୁ ନଷ୍ଟ କରିବାରେ ଲାଗିଛି ।କିଞ୍ଚିତ ଚିନ୍ତା ନ କରି ଦିନକୁ ଦିନ ମୃତ୍ତିକା ଅପଚୟ କରିଚାଲିଛି । ବାସଗୃହ ,ବସ୍ତ୍ର ଏବଂ ଖାଦ୍ୟ ମଣିଷର ନିତାନ୍ତ ଆବଶ୍ୟକ ହୋଇଥିବାବେଳେ ଖାଦ୍ୟ ଅତି ଆବଶ୍ୟକ ହୋଇଥାଏ ଆଉ ଏହି ଖାଦ୍ୟ ପାଇଁ ଦରକାର ଉର୍ବର ଓ ଉପଯୁକ୍ତ ମୃତ୍ତିକା । ବୈଜ୍ଞାନିକ ଗବେଷଣାରୁ ଜଣାଯାଇଛି ଯେ ପ୍ରାୟ ୧ ଇଞ୍ଚ୍‌ ବହଳର ମୃତ୍ତିକା ସୃଷ୍ଟି ପାଇଁ ୧୦୦ ବର୍ଷ ଦରକାର କିନ୍ତୁ ସେଇ ମୃତ୍ତିକା ଯଦି ସଠିକ୍‌ ଭାବେ ବିନିଯୋଗ କରା ନ ଯାଏ ତେବେ ତାହା ୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଏ ।ମୃତ୍ତିକାର ସୁବିନିଯୋଗ ହିଁ ଏହାକୁ ଚିରସ୍ଥାୟୀ ଓ ଉନ୍ନତ କରିଥାଏ ଯାହାକି ଅଧିକ ଶସ୍ୟ ଅମଳ କରିବାରେ ସାହାଯ୍ୟ କରେ ।

ଦୃତଗତି ଜନସଂଖ୍ୟା ବଢିବା ସଂଗେସଂଗେ ବସ ବାସ ପାଇଁ ବିଳାସପୂର୍ଣ୍ଣ ଭାସଭବନର ଆବଶ୍ୟକତା ଓ ଚାହିଦା ମଧ୍ୟ ବଢୁଛି ଆଉ ଏଥି ଯୋଗୁଁ ଧୀରେ ଧୀରେ ଚାଷ ଜମିରେ ନିର୍ମିତ ହେଉଛି ଅଟ୍ଟାଳିକା ଓ ମନରଂଜନ ପାଇଁ ପାର୍କ, ରେଷ୍ଟୁରାଣ୍ଟ ଓ ହୋଟେଲ୍‌ । ଘୋର ଜଙ୍ଗଲ ଓ ଚାଷଜମି ଆଚ୍ଛାଦିତ ରାଜରାସ୍ତା ଏବେ ଧୀରେ ଧୀରେ ସହର ହେବାକୁ ବସିଲାଣି ଫଳରେ ଚାଷଜମିର ପରିମାଣ କମିବାରେ ଲାଗିଛି ତତ୍‌ ସହ କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ତଥା ଅଧିକ ଅମଳକ୍ଷମ ବିହନ ହେତୁ ଖାଦ୍ୟ ଶସ୍ୟ ର ପରିମାଣ ଭି ବଢୁଛି କିନ୍ତୁ ଯଦି ମୃତ୍ତିକା ହିଁ ନଥିବ ତେବେ ଉନ୍ନତ ବିହନ ଓ ଉନ୍ନତ କୃଷି ପ୍ରଣାଳୀ ବୃଥା ଯିବ । ଚାଷ ହେବ କେଉଁଠି ? ଯାହା ବି କିଛି ଚାଷଜମି ଅଛି ତାହା ଗାଁ ଗହଳିରେ ତାହା ବି ଏବେ ଅବକ୍ଷୟର ଅନ୍ତରାଳେ, ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ଔଷଧ ପକାଇବା ହେତୁ ଉର୍ବରତା କମିବାରେ ଲାଗିଲାଣି । ସମୟ ଆସି ଏମିତି ସ୍ଥିତିରେ ପଞ୍ଚିଲାଣି ଗାଁ ବିଲରେ କଙ୍କଡ଼ା ,ଗେଣ୍ଡାତ ଦୂରରକଥା କେଞ୍ଚୁଆଟିଏ ଦେଖିବା ବି ବିରଳ ହୋଇଗଲାଣି । କୀଟନାଶକ ପ୍ରୟୋଗ ଯୋଗୁ ଉପକାରୀ କୀଟଙ୍କ ମୃତ୍ୟୁ ହେବାରୁ ସମୟକ୍ରମେ ଅଧିକରୁ ଅଧିକ ହାନିକାରକ କୀଟ ସଂଖ୍ୟା ବୃଦ୍ଧି ପାଉଛି ଏବଂ ନୂତନ କୀଟନାଶକ ପ୍ରୟୋଗ କରିବାକୁ ପଡୁଛି । ରାସାୟନିକ ସାର ଏବଂ କୀଟନାଶକ ଜମିରେ ପ୍ରୟୋଗ ହେବା ଦ୍ୱାରା ମୃତ୍ତିକା ତାର ଔଜାଲ୍ୟତା ହରାଇବାକୁ ବସିଲାଣି । ଦିନକୁ ଦିନ ମୃତ୍ତିକା କ୍ଷୟ କରିବା ସଙ୍ଗେ ସଙ୍ଗେ ଜଳ ସ୍‌ରୋତରେ ପ୍ରଭାହିତ ହୋଇ ପାଖ କେନାଲ କିମ୍ବା ନିକଟସ୍ଥ ଜଳାଶ୍ରୟ ରେ ମିଶି ଜଳଜ ପ୍ରାଣୀ ଏବଂ ଉଦ୍ଭିଦକୁ ହାନି ପହଞ୍ଚାଇଥାଏ ।
ଆଜିର ଚାଷୀ ଗୋବୋର ଖତ ଅପେକ୍ଷା ରାସାୟନିକ ସାର ଉପରେ ନିର୍ଭରଶୀଳ । ଚାଷ ଜମିରେ ଯବକ୍ଷାରଜାନ ସାରର ବହୁଳ ବ୍ୟବହାର ଦ୍ୱ।।ରା ମୃତ୍ତିକାର ଉର୍ବରତା ଧୀରେ ଧୀରେ ହ୍ରାସ ପାଇଥାଏ ଏବଂ ମାଟି ଶକ୍ତ ବା କଠିନ ହୋଇଯାଏ ଫଳରେ ଏହାର ଜଳ ଧାରଣ କ୍ଷମତା ହ୍ରାସ ପାଇବା ସଙ୍ଗେ ସଙ୍ଗେ ଗଛକୁ ପୋଷଣ ଯୋଗାଇବାର କ୍ଷମତା ହ୍ରାସ ପାଇଥାଏ ଏବଂ ଧୀରେ ଧୀରେ ଅମଳ କମିବାରେ ଲାଗେ । ପ୍ରଧାନମନ୍ତରୀଙ୍କ ଦ୍‌ବାରା ୨୦୧୫ ମସିଆରେ ‘ ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର ‘ ମୃତ୍ତିକାରେ ଥିବା ଉପାଦାନ ଓ ନିର୍ଦ୍ଧିଷ୍ଟ ଶସ୍ୟ ବା ଫସଲ ପାଇଁ କେଉଁ ପୋଷଣର ଆବଶ୍ୟକ ରହିଛି ତା ବିଷୟରେ ସବିଶେଷ ଜ୍ଞାନ ଦେଇଥାଏ । ଏହା ଦ୍ୱାରା ଚାଷୀ ତାର ଜମିରରେ ଥିବା ପୋଷକର ପରିମାଣ ଓ ନିର୍ଦ୍ଧିଷ୍ଟ ଫସଲ ପାଇଁ ଆବଶ୍ୟକ ହେଉଥିବା ପୋଷୋକ ଜାଣିବା ସହିତ ମାଟି କେଉଁ ଫସଲ ପାଇଁ ଉପଯୁକ୍ତ ଅଟେ,ତା ବିଷୟରେ ସବିଶେଷ ତଥ୍ୟ ପାଏ । ଯାହା ଫଳରେ ଖର୍ଚ୍ଚ କମ୍‌ ହେବା ସହ ଅମଳ ଅଧିକ ହୋଇଥାଏ । ତେବେ ଏହି ଯୋଜନା କେବଳ କୃଷି ଛାତ୍ର ଓ କୃଷି ଅଧ୍ୟାପକଙ୍କ ଭିତରେ ଅଦ୍ୟାବଧି ସୀମିତ ହିଁ ରହିଯାଇଛି ।ଭାଗବନଙ୍କ ସୃଷ୍ଟି ଅନୁସାରେ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାରର ମୃତ୍ତିକା ଦେଖା ଯାଏ ,ଯଥା ବାଲିଆ, ଦୋରସା,ମଟାଳ ସବୁ ମୃତ୍ତିକାର ନିର୍ଦ୍ଧିଷ୍ଟ ଶସ୍ୟ ଉତ୍ପାଦନର କ୍ଷମତା ରହିଛି । ଧୀରେ ଧୀରେ ଏହି ସବୁ ମୃତ୍ତିକା ତାର ଔଜଲ୍ୟତା ହାଇରବାକୁ ବସିଲାଣି । ମୃତ୍ତିକାର ରୂପରେଖ ବାଦଳି ଆମ୍ଳୀୟ ଓ କ୍ଷ୍ୟରିୟ ମୃତ୍ତିକାରେ ପରିଣତ ହେଲାଣି । ଯଦି ଏହିଭଳି ଅବକ୍ଷୟ ଲାଗିରୁହେ ତେବେ ଧୀରେ ଧୀରେ ବାକି ରହିଯାଇଥିବା ମୃତ୍ତିକା ନଷ୍ଟ ହୋଇଥିବ ଓ ଭବିଷ୍ୟତରେ ଖାଦ୍ୟର ଘୋର ଅଭାବ ପଡିବ ।

ମୃତ୍ତିକା ଓ ତାର ପରିବେଶକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାକୁ ହେଲେ ଜୈବିକ ଚାଷ ପଦ୍ଧତିକୁ ଆପଣେଇବାକୁ ହେବ, ସମ୍ପୂର୍ଣ୍ଣ ଭାବେ ନ ହେଲେ ବି ସମନ୍ୱିତ ସାର ପ୍ରୟୋଗ କରିବା ସହ ଗୋବର ଖତ,ଜିଆ ଖତର ବ୍ୟବହାର କରିବା ଦ୍‌ବାରା ମୃତ୍ତିକା ପ୍ରଦୂଷଣ ଧୀରେ ଧୀରେ କମିବା ସହ ଉର୍ବାରତାରେ ମଧ୍ୟ ସୁଧାର ଆସେ । ଜୈବିକ ଚାଷରେ ଅଧିକ ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜିକା ଦିନରେ ଜୈବିକ ଶସ୍ୟ ଓ ପନିପରିବାର ବେଶ୍‌ ଚାହିଦା ରହିଛି ଗ୍ରାହକ ମାନେ ଉଚ୍ଚ ଦରରେ ମଧ୍ୟ କିଣୁଛନ୍ତି ଏଣୁ ଚାଷୀ ଭାଇ ଭଲ ଦୁଇ ପଇସା ଲାଭ ମଧ୍ୟ ପାଇ ପାରିବେ । ପରିଶେଷରେ କହିବାକୁ ଗଲେ ମୃତ୍ତିକା ଆମ ପାଇଁ ବହୁତ କିଛି ନୁହେଁ ବରଂ ମୃତ୍ତିକା ହିଁ ଆମପାଇଁ ସବୁକିଛି । ପରିବେଶ ଓ ମୃତ୍ତିକା ପାଇଁଁ ହିଁ ଆମେ ବଞ୍ଚିଚେ ଆମ ପାଇଁ ସେମାନେ ନୁହେଁ ବରୋଂ ମଣିଷ ନଥିଲେ ହୁଏ ତ ସେମାନେ ଆଜି ବହୁତ ଖୁସି ଆଉ ଅକ୍ଷୁର୍ଣ୍ଣ ଭାବେ ଅବସ୍ଥାପିତ ହୋଇଥାନ୍ତେ । ଆସନ୍ତୁ ସଭିଏଁ ମିଳିମିଶି ଏହି ଅମୂଲ୍ୟ ସମ୍ପଦର ସଂରକ୍ଷଣ କରିବା ଓ ଏହାର ବିକାଶ କରିବା । ଅଧିକରୁ ଅଧିକ ଚାଷ ଜମି କେମିତି ସୃଷ୍ଟି ହୋଇପାରିବ ସେ ଦିଗରେ ଧ୍ୟାନ ଦେବା ,ଆମ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସନ୍ତୁଳିତ ପରିବେଶ ସୃଷ୍ଟି କରିବା ।

ବିଜ୍ଞାନ ରଞ୍ଜନ ସାହୁ (ସ୍ନାତୋକତ୍ତର)
ମୃତ୍ତିକା ବିଜ୍ଞାନ, ଓୟୁଏଟି ଭୁବନେଶ୍‌ବର
ମୋ-୯୫୫୬୨୫୯୯୧୯

Spread the love

Leave a Comment

Your email address will not be published. Required fields are marked *

Scroll to Top
×