ଆମର ନୂଆଁଖାଇ ତିହାର

ପ୍ରାଚୀନ ବୈଦିକ ପରମ୍ପରାରେ ପ୍ରଚଳିତ ଯଜ୍ଞରେ ସମର୍ପଣ ଭାବନାର ଏକ ଆଧୁନିକ ରୂପ ହେଉଛି ନୂଆଁଖାଇ। ନୂଆଁଖାଇ ଏକ କୃଷିଭିତ୍ତିକ ଗଣପର୍ବ, ଯେଉଁଠାରେ କୃଷକ ନିଜ ଉତ୍ପାଦିତ ଅନ୍ନର ପ୍ରଥମ ଭାଗ ଗ୍ରାମଦେବୀ ବା ନିଜ ଇଷ୍ଟଦେବୀଙ୍କୁ ସମର୍ପଣ କରିଥାନ୍ତି। ପରେ ତାହାକୁ ପ୍ରସାଦ ରୂପେ ସମ୍ପୂର୍ଣ୍ଣ ପରିବାର ସହିତ ନବାନ୍ନ ଭାବେ ଭକ୍ଷଣ କରିଥାନ୍ତି। ପୁରାତନ କୋଶଳ ଅଞ୍ଚଳ, ଅର୍ଥାତ୍ ଆଧୁନିକ ପଶ୍ଚିମ ଓଡ଼ିଶା ସହିତ ଛତିଶଗଡ଼ ଓ ଝାରଖଣ୍ଡର ସିମଡେଗା, ଚକ୍ରଧରପୁର ଆଦି ଅଞ୍ଚଳରେ ନୂଆଁଖାଇ ଏକ ଗଣପର୍ବ ଭାବେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଆସୁଛି। ନୂଆଁଖାଇକୁ ଆଜିର ପ୍ରଚଳିତ ରୂପ ଦେବାର ଶ୍ରେୟ ଦ୍ୱାଦଶ ଶତାବ୍ଦୀର ପାଟଣା ରାଜ୍ୟର ଚୌହାନ ବଂଶୀୟ ରାଜା ରାମାଇ ଦେବଙ୍କୁ ଦିଆଯାଏ। ତାଙ୍କ ଶାସନ ସମୟରେ ସେ ଅନୁଭବ କରିଥିଲେ ଯେ ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ କୃଷିର ବିକାଶ ଅପରିହାର୍ଯ୍ୟ। ସେ ସମୟରେ ଏହି ଅଞ୍ଚଳ ଘନ ଅରଣ୍ୟରେ ପରିପୂର୍ଣ୍ଣ ଥିଲା ଏବଂ ଲୋକମାନେ ମୁଖ୍ୟତଃ ଶିକାର ଓ ଖାଦ୍ୟ ସଂଗ୍ରହ ଉପରେ ନିର୍ଭରଶୀଳ ଥିଲେ। ତେଣୁ ରାଜା ରାମାଇ ଦେବ କୃଷିର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଉତ୍ପାଦିତ ଅନ୍ନର ପ୍ରଥମ ଭାଗ ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କୁ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଆବିର୍ଭାବ ପରେ ସମ୍ବଲପୁରରେ ମା’ ସମଲେଶ୍ୱରୀ, ସୋନପୁରରେ ମା’ ସୁରେଶ୍ୱରୀ, କଳାହାଣ୍ଡିରେ ମା’ ମାଣିକେଶ୍ୱରୀ ଏବଂ ଗାଙ୍ଗପୁର ବା ଆଜିର ସୁନ୍ଦରଗଡ଼ ଅଞ୍ଚଳରେ ମା’ ଶେଖରବାସିନୀଙ୍କ ନିକଟରେ ନୂଆ ଅନ୍ନର ପ୍ରଥମ ଭାଗ ଅର୍ପଣ କରାଯାଇଥିଲା।

ନୂଆଁଖାଇ ପର୍ବ ନଅଟି ପାହାଚ ଦେଇ ଅତିକ୍ରମ କରିଥାଏ। ଏହି ପ୍ରତ୍ୟେକ ପାହାଚର ନିଜସ୍ୱ ମହତ୍ତ୍ୱ ରହିଛି।

ପ୍ରଥମ ପାହାଚ – ବେହେରନ: ଏହି ପର୍ଯ୍ୟାୟରେ ଗ୍ରାମବାସୀମାନେ ଏକାଠି ହୋଇ ବୈଠକ କରି ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ପାଇଁ ସମୟ ଠିକ୍ କରନ୍ତି। ଦ୍ୱିତୀୟ ପାହାଚ – ଲଗ୍ନ ଦେଖା: ଏହି ପର୍ଯ୍ୟାୟରେ ନୂଆଁଖାଇ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଏ। ତୃତୀୟ ପାହାଚ – ଡାକ-ହକା: ନୂଆଁଖାଇର ଲଗ୍ନ ଓ ଆୟୋଜନ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଓ ନିମନ୍ତ୍ରଣ ଦିଆଯାଏ। ଚତୁର୍ଥ ପାହାଚ – ଲିପାପୁଛା: ଘରଦ୍ୱାର ସଫାସୁତୁରା କରି ନୂଆଁଖାଇ ପାଇଁ ଘରକୁ ପ୍ରସ୍ତୁତ କରାଯାଏ। ପଞ୍ଚମ ପାହାଚ – ଘିନା ବିକା: ନୂଆଁଖାଇ ପାଇଁ ଆବଶ୍ୟକ ସାମଗ୍ରୀ ଓ ଦ୍ରବ୍ୟ କିଣାକିଣି କରାଯାଏ। ଷଷ୍ଠ ପାହାଚ – ନୂଆଧାନ ଖୁଜା: ନବାନ୍ନ ପ୍ରସ୍ତୁତି ପାଇଁ ପାକଳ ନୂଆ ଧାନ ଖୋଜାଯାଏ ଓ ସଂଗ୍ରହ କରାଯାଏ। ସପ୍ତମ ପାହାଚ – ବାଲିପକା: ନୂଆଁଖାଇ ପାଇଁ ସଂଗୃହୀତ ନବାନ୍ନକୁ ମା’ଙ୍କ ନିକଟରେ ଅର୍ପଣ କରାଯାଏ। ଅଷ୍ଟମ ପାହାଚ – ନୂଆଁଖାଇ: ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଅନ୍ନ ଭକ୍ଷଣ କରନ୍ତି। ଏହା ହେଉଛି ନୂଆଁଖାଇର ମୁଖ୍ୟ ପର୍ଯ୍ୟାୟ। ନବମ ପାହାଚ – ଜୁହାର ଭେଟଘାଟ: ନୂଆଁଖାଇ ପରେ ପରିବାରର କନିଷ୍ଠ ସଦସ୍ୟମାନେ ବୟୋଜ୍ୟେଷ୍ଠମାନଙ୍କୁ ଜୁହାର କରନ୍ତି ଓ ଆଶୀର୍ବାଦ ଗ୍ରହଣ କରନ୍ତି। ଗ୍ରାମରେ ମଧ୍ୟ ଏହି ପରମ୍ପରା ପାଳିତ ହୁଏ। ଛୋଟ ଛୋଟ ବାଳକ-ବାଳିକାଙ୍କ ସହିତ ଗ୍ରାମବାସୀମାନେ ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନିଅନ୍ତି। ନୂଆଁଖାଇ ସନ୍ଧ୍ୟାରେ ପ୍ରାୟ ପ୍ରତ୍ୟେକ ଗାଁରେ ନାଚ, ଗୀତ ଓ ବିଭିନ୍ନ ପାରମ୍ପରିକ ଖେଳର ଆୟୋଜନ ହୋଇଥାଏ। ଏହା ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସାମାଜିକ ସମ୍ପର୍କକୁ ଆହୁରି ଦୃଢ଼ କରିଥାଏ।

୧୯୯୧ ମସିହା ପୂର୍ବରୁ ପ୍ରତ୍ୟେକ ଗାଁ ନିଜ ଗ୍ରାମଦେବୀଙ୍କ ମନ୍ଦିରରେ ସ୍ଥିରୀକୃତ ଲଗ୍ନ ଅନୁସାରେ ନୂଆଁଖାଇ ପାଳନ କରୁଥିଲେ। କିନ୍ତୁ ୧୯୯୧ ମସିହାରେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମନ୍ଦିରଗୁଡ଼ିକର ପୂଜକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ନିଷ୍ପତ୍ତିକ୍ରମେ ଏକ ସାମୂହିକ ପରମ୍ପରାର ଆରମ୍ଭ ହୋଇଥିଲା। ଗଣେଶ ପୂଜାର ପରଦିନ, ଅର୍ଥାତ୍ ପଞ୍ଚମୀ ତିଥିରେ କଳାହାଣ୍ଡିକୁ ବାଦ ଦେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରିବାର ନିଷ୍ପତ୍ତି ନିଆଯାଇଥିଲା। ସେହି ବର୍ଷଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଁଖାଇର ଲଗ୍ନ ସମୟ ନିର୍ଦ୍ଧାରିତ ହୋଇଥାଏ ଏବଂ ସେହି ସମୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳିତ ହୋଇଆସୁଛି। ନୂଆଁଖାଇ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ କେବଳ ଏକ ପର୍ବ ନୁହେଁ। ଏହା ହେଉଛି ଏହି ଅଞ୍ଚଳର କୃଷି, ସଂସ୍କୃତି, ପରମ୍ପରା, ଚିନ୍ତନ, ସାମାଜିକ ଏକତା ଓ ଜୀବନଧାରାର ଏକ ସୁନ୍ଦର ପ୍ରତିଫଳନ।

ଲେଖକ: ରିତେଶ ପୃଷେଠ
ରାଜ୍ୟ ସଂପାଦକ – ଭାରତୀୟ ଜନତା ଯୁବମୋର୍ଚ୍ଚା , ଓଡ଼ିଶା ପ୍ରଦେଶ

Spread the love

Leave a Comment

Your email address will not be published. Required fields are marked *

Scroll to Top
×