ଥାଇଲାଣ୍ଡ, ଭିଏତନାମ, ଇସ୍ରାଏଲ, ଶ୍ରୀଲଙ୍କା ଓ ଆମେରିକାରେ ଭଳି ଦେଶରେ ଡ୍ରାଗନ ଫ୍ରୁଟ୍ ଚାଷ ହେଉଥିବା ବେଳେ ଏବେ ଏହା ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଚାଷ କରାଯାଉଛି। ସରକାରୀ ପ୍ରୋତ୍ସାହନ କାରଣରୁ ଏବେ ଅଧାରୁ ଅଧିକ ଜିଲ୍ଲାରେ ଡ୍ରାଗନ୍ ଫ୍ରୁଟ୍ ଚାଷ କରାଯାଉଛି। ବଲାଙ୍ଗିର, ବାଲେଶ୍ୱର, କଟକ, ଢେଙ୍କାନାଳ, କଳାହାଣ୍ଡି, ସମ୍ୱଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଏହି ଚାଷ ପ୍ରତି ଚାଷୀମାନେ ଆଗ୍ରହ ଦେଖାଉଛନ୍ତି। ବିଧାନସଭା ତଥ୍ୟ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍ ୧୦୭ ହେକ୍ଟର ଜମିରେ ୭୨୫. ୩୩ ମେଟ୍ରିକ୍ ଟନ୍ ଡ୍ରାଗନ୍ ଫ୍ରୁଟ୍ ଚାଷ ହୋଇ ବିଦେଶ ତଥା ରାଜ୍ୟ ବାହାରକୁ ରପ୍ତାନୀ କରାଯାଇଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡ୍ରାଗନ ଫ୍ରୁଟ୍ ରେ ପ୍ରଚୁର ପରିମାଣରେ ପୋଟାସିୟମ ଓ ଭିଟାମିନ ସି ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଡ୍ରାଗନ ଫ୍ରୁଟ୍ ପରେ ରାଜ୍ୟରେ ଅଧିକ କ୍ୟପ୍ସିକମ୍ ଚାଷ କରାଯାଉଛି। ଗତ ବର୍ଷକ ମଧ୍ୟରେ ରାଜ୍ୟରେ ୭୬୭.୫୯ ହେକ୍ଟର ଜମିରେ ଏହା ଚାଷ ହୋଇଥିବା ବେଳେ ମୋଟ ୧୦ ହଜାର ୭୭୧.୭୩ ମେଟ୍ରିକଟନ କ୍ୟାପ୍ସିକମ୍ ଉତ୍ପାଦନ ହୋଇଥିଲା। ରାଜ୍ୟର କୋରାପୁଟ, କନ୍ଧମାଳ ଭଳି ଥଣ୍ଡା ଅଞ୍ଚଳରେ ଏହି ଚାଷ ଅଧିକ କରାଯାଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
