ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନକୁ ଭାରତ ସରକାର ଉଚ୍ଚ ପ୍ରଶଂସା କରିଛନ୍ତି। ଡିଜିଟାଲ ସର୍ବେକ୍ଷଣ, ଏହାର ଅଗ୍ରଗତି, ଗୁଣାତ୍ମକତା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରାଯାଇଛି। ଭାରତ ସରକାରଙ୍କ ମୁଖ୍ୟ ପରାମର୍ଶ ଅଧିକାରୀ ଶ୍ରୀ ରାଜୀବ ଚାଓ୍ୱଲା ଓଡ଼ିଶା ରାଜ୍ୟ ସରକାରଙ୍କର ପୁରା ଟିମ୍କୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ସର୍ବେକ୍ଷଣ ବ୍ୟବସ୍ଥା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶାର ସର୍ବେକ୍ଷଣ ସଠିକତା ୯୬.୬୭ ପ୍ରତିଶତ ରହିଛି ଏବଂ ରାଷ୍ଟ୍ରୀୟ ତୃଟି ସର୍ବେକ୍ଷଣରେ ଦେଶରେ ଓଡ଼ିଶାର ସବୁଠାରୁ କମ୍ ତ୍ରୁଟି(୩.୩୩ ପ୍ରତିଶତ ରହିଛି)।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍ ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଗ୍ରିଷ୍ଟାକ୍ ହେଉଛି ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏକ ଏକକୀତ କୃଷି ତଥ୍ୟ ପ୍ଲାଟ୍ଫର୍ମ। ଏଥିରେ କୃଷକଙ୍କର ରହିଥିବା ଜମି, ଫସଲ ସମ୍ବନ୍ଧୀୟ ସୂଚନା ଏକାଠି ଡିଜିଟାଲ ମାଧ୍ୟମରେ ରଖାଯିବା ବ୍ୟବସ୍ଥା ରହିଛି, ଯଦ୍ୱାରା କୃଷକଙ୍କୁ ଡିଜିଟାଲ ମାଧ୍ୟମରେ ଉଦ୍ଦିଷ୍ଟ ସେବା ଠିକ୍ ଭାବେ ପହଁଚାଇବାରେ ସହଜ କରିବ। ବୈଠକରେ ୨୦୨୪ ଏବଂ ୨୦୨୫ ବର୍ଷରେ ଖରିଫ୍ ଓ ରବି ଫସଲର ଡିଜିଟାଲ ସର୍ବେକ୍ଷଣ ଉପରେ ତୁଳନାତ୍ମକ ଅନୁଧ୍ୟାନ କରାଯାଇଥିଲା।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
