ଭାରତ ସମେତ ପ୍ରଶାନ୍ତ ମହାସାଗରର ବିଭିନ୍ନ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖକୁ ବିଶ୍ୱ ନଡ଼ିଆ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ପ୍ରଥମେ ୨୦୦୯ ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ତେବେ ନଡିଆ ସହିତ ଏହାର ପାଣି ବା ପଇଡ ପାଣି ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ। ପ୍ରଶାନ୍ତ ଏବଂ ଏସୀୟ ଅଞ୍ଚଳର ଦେଶମାନଙ୍କରେ ଏହି ଦିନଟି ବିଶେଷ ଭାବରେ ପାଳନ କରାଯାଏ। ଏସିଆନ୍ ପାସିଫିକ୍ ନଡ଼ିଆ କମ୍ୟୁନିଟି (ଏ ପି ସି ସି) ପ୍ରଥମେ ଜାକର୍ତ୍ତାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରିଥିଲା।
ବିଶେଷକରି ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ନଡ଼ିଆ ଏବଂ ବିଭିନ୍ନ ଶିଳ୍ପରେ ଏହାର ବ୍ୟବହାର ଏବଂ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା। ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ଅଧିକ ନଡ଼ିଆ ଉତ୍ପାଦନକାରୀ ଦେଶ। ଏହା ପଛରେ ଫିଲପାଇନ୍ସ ଦ୍ବିତୀୟରେ ରହିଥିବା ବେଳେ ତୃତୀୟରେ ଭାରତ ରହିଛି। ନଡ଼ିଆରେ କାର୍ବୋହାଇଡ୍ରେଟ କମ ପରିମାଣରେ ରହିଥିବା ବେଳେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଯାହାକି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। ନଡ଼ିଆ ପାଣି ପରି ଏହାର ରସ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଥିରେ ଲୌରିକ ଏସିଡ ରହିଥାଏ। ଏହା ଶରୀରକୁ ଜୀବାଣୁ, କୀଟାଣୁ ଏବଂ କବକ ଦ୍ବାରା ହେଉଥିବା ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ