ହାଇଡ୍ରୋପନିକ୍ସ – ଯୁବପିଢ଼ୀଙ୍କୁ ରୋଜଗାର ଯୋଗାଇବାର ବିକଳ୍ପ ମାଧ୍ୟମ

0

ଜନସଂସ୍କୃତି ଆଉ କୃଷି ପରସ୍ପରର ପରିପୂରକ । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା ଦେଖେ ତାହେଲେ କୃଷି ବିନା ଏସବୁ ଦୁଃସ୍ୱପ୍ନ । ଦିନ ଥିଲା ଏ ସମାଜ ସବୁଜିମାର ବଳୟ ଭିତରେ ଆବଦ୍ଧ ହୋଇ ଥିଲା । ପରିବେଶ ସବୁଜର ଆବରଣରେ ବେଶ ଖୁସି ହୋଇ ହସୁଥିଲା । କୃଷିକୁ କଷ୍ଟ ନୁହେଁ ବରଂ ଏକ କର୍ମସିକ୍ତ ଭାବନାରେ ପ୍ରତିପାଦିତ କରାଯାଉଥିଲା ।
କିନ୍ତୁ ସମୟ ଆସିଛି କୃଷି ପାଇଁ ଆଉ ସେପରି ମନରେ ଶ୍ରଦ୍ଧା ନାହିଁ । ଚାକିରୀର ନିଶାରେ ଏବେ ସମସ୍ତେ ମତୁଆଲା । କାଦୁଅ ବିଲରେ ଗୋଡ଼ ପଶେଇବାକୁ ଆଉ କେହି ବି ଇଚ୍ଛା କରୁନାହାନ୍ତି । ଟଙ୍କା ସର୍ବସ୍ୱ ଏ ଦୁନିଆରେ ସଭିଏଁ ନିଜ କର୍ମରେ ବ୍ୟସ୍ତ । ସେଇଥିପାଇଁ ତ ଆଜି ଚାଷ ଜମି ସବୁ ପଡ଼ିଆ ହୋଇ ପଡ଼ୁଛି , ସବୁଜିମା ନାହିଁ ବରଂ କଳକାରଖାନାର ଦୂଷିତ ଆବରଣରେ ବନ୍ଧା ହୋଇପଡ଼ିଛି । ପରିବେଶ ସନ୍ତୁଳନ ଠିକ ଭାବେ ରହୁନାହିଁ । ଆଉ ଯେତିକି ବି ଚାଷ ଜମି ରହିଲା ସେସବୁ ରାସାୟନିକ ବିଷ ସାରରେ ଭରପୂର । ପରୋକ୍ଷରେ ସବୁଜ ବିଷକୁ ଗ୍ରହଣ କରୁଛନ୍ତି ମାନବ ସମାଜ । ଆଜିର ଯୁବଗୋଷ୍ଠୀ ଚାଷ ପାଇଁ ବିମୁଖ । କ୍ଷେତକାମ ପାଇଁ ଆଉ ଆଗପରି ଆଗ୍ରହ ସୃଷ୍ଟି ହେଉନାହିଁ । କିନ୍ତୁ ଆଜି ବି ଚାଷ ଜମିରେ ନୂଆ ପଦ୍ଧତିରେ ଚାଷ କରି ଲକ୍ଷଲକ୍ଷ ଟଙ୍କା କମେଇହେଉଛି । କେବଳ ଟଙ୍କା ନୁହେଁ ବରଂ ପରିବେଶ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ । ସେମିତି ଆଜି ହାଇଡ୍ରୋପନିକ୍ସ ଏବେ ଆତ୍ମନିର୍ଭରଶୀଳତାର ନୂଆ ଏକ ଅଧ୍ୟାୟ । ଏ ପରିପ୍ରେକ୍ଷୀରେ ଜଗତସିଂହପୁରର ଯୁବ ଉଦ୍ୟୋଗୀ ଆଶିଷ ମହାନ୍ତି ଯିଏ ହାଇଡେ଼୍ରାପନିକ୍ସର ବେଶ ସଫଳତା ପାଇବା ସହ ଯୁବପିଢ଼ୀଙ୍କ ପାଇଁ ଏବେ ଏକ ପ୍ରମୁଖ ଉଦାହରଣ ସାଜିଛନ୍ତି , ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି ଶୁଭମ୍‌..

nano urea

ଜଗତସିଂପୁରର ସୁଜଙ୍ଗ ଗ୍ରାମର ଆଶିଷ ମହାନ୍ତି । ଏସ୍‌.ବି. ଏମ୍‌ କଲେଜରୁ ବି.ଏସସି ଓ ତାହା ପରେ ବୁର୍ଲା ବିଶ୍ୱବିଦ୍ୟାଳୟରୁ ଏମ.ଏସସି ରେ ଉତ୍ତୀର୍ଣ୍ଣ ହେବା ପରେ ହାଇଦ୍ରାବାଦରେ ଏସିଆନ ପେଣ୍ଟସ୍‌ରେ କାର୍ଯ୍ୟରତ ଥିଲେ ଆଶିଷ । ସେଠାରେ ଥିବା ସମୟରେ ନିଜ ବଡ଼ ଭଉଣୀଙ୍କ ଠାରୁ ପ୍ରଥମେ ହାଇଡ୍ରୋପନିକ୍ସ ବିଷୟରେ ଜାଣି ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଏହା ବିଷୟରେ ସବିଶେଷ ଜାଣିବାକୁ ଚେଷ୍ଟା କରିଥିଲେ ଆଶିଷ । ବିନା ମାଟିରେ ଚାଷ କରିବାର ପ୍ରଣାଳୀକୁ ଆଦରି ଜଣେ ସଫଳ ଯୁବ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିଲେ ଆଶିଷ । ଏହା ପରେ ହାଇଦ୍ରାବାଦ ଠାରେ ଏ ସର୍ମ୍ପକରେ ପ୍ରଶିକ୍ଷଣ ନେଇ ପ୍ରଥମେ ନିଜ ଘରେ ଛାତ ଉପରେ ଆରମ୍ଭ କରିଥିଲେ ଏହି ଚାଷ । ୨୦୧୯ ନଭେମ୍ବରରେ କମ୍‌ ସ୍ଥାନରେ ଅଧିକ ଫସଲ ଚାଷ କରିବା ସହ ପାଖାପାଖି ୯୦ପ୍ରତିଶତରୁ କମ୍‌ ଜଳରେ ଏହାକୁ ଚାଷ କରିବାର ପ୍ରଣାଳୀ ବେଶ ନିଆରା ବୋଲି ଆଶିଷ କହନ୍ତି । ପ୍ରଥମାବସା୍ଥରେ ୮୦୦ ବର୍ଗଫୁଟ ସ୍ଥାନରୁ ୨୪୦୦ଗଛ ଲଗାଇଥିଲେ । ଓଡ଼ିଶାରେ ହାଇଡ୍ରୋପନିକ୍ସର ଚାହିଦା ଅଛି କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇ କାମ କଲେ ସୁଫଳ ମିଳିପାରିବ । ଏବେ ବି ଏ ଦିଗରେ ସେ ଅନେକ ଅସୁବିଧା ି ସାମ୍ନା କରୁଛନ୍ତି ବୋଲି ମତପ୍ରକାଶ କରିଛନ୍ତି । କିନ୍ତୁ ଏହା ଯୁବପିଢ଼ୀଙ୍କୁ ଉଦ୍ୟୋଗୀ କରିବାର ଏକ ପ୍ରମୁଖ ମାଧ୍ୟମ । ଏବେ ନିଜ ଫାର୍ମରେ ଲେଟ୍ୟୁସ, ଇଟାଲିଆନ ବାସିଲ ଲଗାଇବା ସହ ପରବର୍ତ୍ତୀ ସମୟରେ କେଲ , ପାର୍ସେଲୀ , ରୋଜମେରୀ ପଭୃତି ଚାଷ କରିବାର ଯୋଜନା ରଖିଛନ୍ତି । ତେବେ ଆଶିଷଙ୍କ ଏ ପ୍ରୟାସ ଯୁବସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା , ଏହା ନିଃସନ୍ଦେହ ।

Leave A Reply

Your email address will not be published.

twelve − one =