ରାଜ୍ୟ ପୂର୍ବ ସରକାର ଅପେକ୍ଷା ନୂତନ ସରକାର ରାଜ୍ୟର ଚାଷୀଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଦିନକୁ ଦିନ ପୁରାଣ ହେବାରେ ଲାଗିଛି। ଯାହାକି ରାଜ୍ୟର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଲାଗୁ କରିବା, ଉନ୍ନତ ଚାଷ ପ୍ରଣାଳୀ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକୀୟ ତାଲିମ ଦେବା, ଉନ୍ନତମାନର କୃଷି ଯନ୍ତ୍ରପାତି ଯୋଗାଇ ଦେବା, ଶସ୍ୟ ଅମଳ ପରେ ଏହାକୁ ଉଚ୍ଚ ମୂଲ୍ୟରେ କ୍ରୟ କରିବା ଭଳି ଅନେକ ସହାୟତା ଯୋଗାଇ ଦେଉଛନ୍ତି ସରକାର।
ଚାଷୀଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ। ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା ଅନେକ ଚାଷୀଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି। ସିଏମ କିଷାନ, ପିଏମ କିଷାନ, ସୁଭଦ୍ରା ଭଳି ଯୋଜନାରୁ ପ୍ରତି ବର୍ଷ ଜଣେ ଚାଷୀ ୩୦ ହଜାର ଟଙ୍କାର ସରକାରୀ ସହାୟତା ପାଉଛନ୍ତି। କେବଳ ଧାନ ଚାଷରେ ସୀମିତ ନରହି ପନିପରିବା, ଅର୍ଥକାରୀ ଫସଲ, ତୈଳବୀଜ, ଫଳ ଆଦି ଚାଷ କଲେ ଚାଷୀଙ୍କ ଆୟ ବଢ଼ିପାରିବ ବୋଲି ଦୃଷ୍ଟିରେ ରଖି ସରକାର ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।
ଉପସ୍ଥାପନା- ଦିବ୍ୟାଭାରତୀ ନାୟକ