ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇ ଆସୁଛି। ଅମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବନ ମହୋତ୍ସବ ପାଳନ ଅନେକ ଗୁରୁତ୍ବ ବହନ କରୁଛି। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ସର୍ବଦା ବୃକ୍ଷ ରୋପଣ ଓ ବୃକ୍ଷ ରୋପଣର ଉପକାରିତା ଲୋକଙ୍କ ପାଖରେ ପହଞ୍ଚାଇବା ବନ ମହୋତ୍ସବର ଲକ୍ଷ୍ୟ ରହିଛି।
ବର୍ତ୍ତମାନ ବୃକ୍ଷ ରୋପଣର ମାତ୍ରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି। କାରଣ ଲୋକମାନେ ଗଛ ଲଗାଇବା ପରିବର୍ତ୍ତେ କାଟିବାରେ ଅଧିକ ବ୍ୟସ୍ତ ରହୁଛନ୍ତି। ଗଛ କାଟିବା ଲୋକଙ୍କ ପାଇଁ ଏକ ବେପାର ସହ ରୋଜଗାର ମଧ୍ୟ ହେଲାଣି। ବୃକ୍ଷ ଏବଂ ଜଙ୍ଗଲ ହିଁ ଜୀବନ ହୋଇଥିବାରୁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଜନସାଧାରଣଙ୍କ ସହଯୋଗ ଦ୍ୱାରା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ପବିତ୍ର ବନ ମହୋତ୍ସବ ପାଳନ ଅବସରରେ ଅଧିକରୁ ଅଧିକ ଗଛ ଲଗାଇ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ