ଓଡ଼ିଶାର କୋରାପୁଟ ଜିଲ୍ଲାର କଫି ବର୍ତ୍ତମାନ ଦେଶ ବିଦେଶରେ ଆଦୃତି ଲାଭ କରୁଛି। କୋରାପୁଟ ଜିଲ୍ଲାରେ ଆଦିବାସୀ ଏବଂ ମହିଳା ଚାଷୀମାନଙ୍କ ମୁଖ୍ୟ ଜୀବିକା ପାଲଟିଛି କଫି। ବର୍ଷକୁ ବର୍ଷ କଫି ଚାଷର ଗୁରୁତ୍ବ ବଢିବା ସହ ଉତ୍ପାଦନ ମଧ୍ୟ ବଢୁଛି, ଯାହାକି ଚାଷୀଙ୍କ ଭରଣ ପୋଷଣ ସହ ଗୁଜୁରାଣ ମେଣ୍ଟାଇ ପାରୁଛି। କୋରାପୁଟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଫି ଚାଷ ବୃଦ୍ଧି ପାଇଛି। ଓଡ଼ିଶାର କଫି ବିଶ୍ୱସ୍ତରରେ ଖ୍ୟାତି ଲାଭ କରିବା ସହ ଇଟାଲୀ ଏବଂ ଆମେରିକାରେ ଏହା ଉପଲବ୍ଧ ହୋଇପାରିଛି।
କୋରାପୁଟରେ ପ୍ରାୟ ତିନି ହଜାର ହେକ୍ଟର ଜମିରେ ବାର୍ଷିକ ପ୍ରାୟ ୫୫୦ ମେଟ୍ରିକ୍ ଟନ୍ କଫି ଉତ୍ପାଦନ ହେଉଛି। ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସାୟ ହେଉଛି। ପ୍ରତି ମାସରେ ଜିଲ୍ଲା ପ୍ରଶାସନଙ୍କ ସମୀକ୍ଷା କରି କଫି ଉତ୍ପାଦନ ବଢ଼ାଇବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷେ ବିଭାଗୀୟ ଜିଲ୍ଲା ଅଧିକାରୀ ଗତ ମାସ କଫି ବଗିଚା ପରିଦର୍ଶନ କରି ବ୍ୟାପକ ପ୍ରଚାର ପ୍ରସାର ଓ ଚାଷର ଅଭିବୃଦ୍ଧି ପାଇଁ ଆଲୋଚନା କରିଥିଲେ। କୋରାପୁଟ କଫିକୁ ଫ୍ଲେଭର୍ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ବି ପୁରସ୍କାର ମିଳିଛି। ଏବେ ଦେଶ ବିଦେଶରୁ ମିଳୁଥିବା ପ୍ରଶଂସା କଫି ଚାଷୀଙ୍କୁ ଉତ୍ସାହିତ କରୁଛି।
ଉପସ୍ଥାପନା- ଦିବ୍ୟାଭାରତୀ ନାୟକ