କୃଷିର ବିକାଶରେ କର୍ଣ୍ଣଧାର ମହିଳା

ରାଜ୍ୟରେ ଜୈବିକ ଚାଷର କଥା ଏବେ ସମସ୍ତଙ୍କୁ ଜଣା । ଆମେ ସମସ୍ତେ ଆମ ଜାଣତରେ ବିଷ ଖାଉଛନ୍ତି ଏକଥା ବି ଆମେ ଜାଣିଛୁ । କିନ୍ତୁ ଉତ୍ପାଦକତା ଓ ଆଦାୟକୁ ଦୃଷ୍ଟିରେ ରଖି ଚାଷୀ ମାନେ ରାସାୟନିକ ସାରର ବ୍ୟବହାର ଅନେକ ମାତ୍ରାରେ କରୁଥିବାର ନଜର ଏବେ ଦେଖାଯାଉଛି । କିନ୍ତୁ ଅପର ପଟେ ଅନେକ ଚାଷୀ ଏହାକ କୁପ୍ରଭାବକୁ ବୁଝି ଜୈବିକ ଚାଷ କରିବା ଦିଗରେ ସ୍ୱତଃ ଆଗେଇଆସିଲେଣି । ଏପରିକି ନିଜେ ଏ ପଦ୍ଧତିରେ ଚାଷ କରିବା ସହ ଅନେକ ଜଣଙ୍କୁ ଏ ଦିଗରେ ପ୍ରବର୍ତ୍ତାଇବାର ମଧ୍ୟ ଉଦାହରଣ ଦେଖିବାକୁ ମିଳୁଛି । ମାଟିରେ ଅଧିକ ପରିମାଣରେ ୟୁରିଆ, ପଟାସ, ଡ଼ିଏପିର ବ୍ୟବହାର ଦ୍ୱାରା ଏହାର ଗୁଣାତ୍ମକ ମାନ ହ୍ରାସ ପାଉଛି । ଆମେ ଜାଣୁ ମାଟି ଉର୍ବର ହେଲେ ଚାଷ ଭଲ ହୁଏ । ମାଟିରେ ଅର୍ଗାନିକ କାର୍ବନର ମାତ୍ରା ବଢ଼ିଲେ ଏହା ଚାଷ ପାଇଁ ଅନୁକୂଳ ହୁଏ । ମାଟିର ଉପର ଭାଗରେ ଥିବା ଅଣୁଜୀବ ରହିଲେ ହିଁ ଏହା ମାଟିକୁ ହାଲୁକା କରିବାରେ ସାହାଯ୍ୟ କରେ । କିନ୍ତୁ ଜୈବ ଚାଷ କରି ଏହାର ଉତ୍ପାଦକୁ ବିକ୍ରିବଟା କରିବାରେ ଅସୁବିଧା ହେଉଥିବାରୁ ଅନେକ ଜଣ ଏହାକୁ ଉପଯୋଗ କରିବାକୁ ମନ ବଳାଉନାହାନ୍ତି । ଏ ଦିଗରେ ଏକ ଉଦାହରଣ ଏଠାରେ ରଖିବାକୁ ଚାହିଁବି ।

ଓଡ଼ିଶାର ଦେବଗଡ଼ ଜିଲ୍ଲା ଚାଷ ବାସରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଏଇ କିଛି ଦିନ ତଳେ ଯେବେ କ୍ଷେତ୍ର ପରିଦର୍ଶନରେ ଯିବାର ସୁଯୋଗ ମିଳଥିଲା ଜିଲ୍ଲାର ତିନୋଟି ବ୍ଳକ ଯଥା ରିଆମାଳ, ତିଲେଇବଣି ଓ ବାରକୋଟ ବୁଲିବାର ବି ମୌକା ପାଇଥିଲି । ପ୍ରାୟ ୫୦୦ରୁ ଅଧିକ ଚାଷୀଙ୍କ ସହ ମିଶିଥିଲି । ସୌଭାଗ୍ୟକୁ ଏମାନେ ସମସ୍ତେ ମହିଳୂା ଚାଷୀ । ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିବେନି ସେମାନଙ୍କ ଏପରି ଆତ୍ମବିଶ୍ୱାସକୁ । ଦୃଢ଼ମନା ମହିଳା ମାନେ କେବଳ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ନୁହେଁ ବରଂ ଚାଷ ଜମିରେ ନିଜର ପାରଦର୍ଶିତାକୁ ବେଶ ସୁନ୍ଦର ଭାବରେ ପ୍ରତିଫଳତ କରିଛନ୍ତି । ଯେଉଁ ଗାଁରେ ଝିଅ ମାନଙ୍କୁ ଖୁବ୍‌ କମ ବୟସରେ ବାହା କରିଦିଆଯାଉଥିଲା , ଆଜି ସେହିମାନେ ହିଁ ନିଜ ଘରେ ଛତୁ ଉଦ୍ୟୋଗ କରି ଉଦାହରଣ ସାଜିଛନ୍ତି । ଏହି ଉଦ୍ୟୋଗ ଦ୍ୱାରା ନିକଟସ୍ଥ ବଜାରରେ ଏହାକୁ ବିକ୍ରୟ କରି ଲାଭବାନ ମଧ୍ୟ ହେଉଛନ୍ତି । ଘର ଭିତରେ ବାନ୍ଧି ନହୋଇ ଚାଷ ଜମିରୁ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଆଜି ସେମାନଙ୍କୁ ସୁସଙ୍ଗଠିତ କରିଛି । ମୁଁ ନିଜେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହେଲି – ଏକର ଏକର ଜମିରେ ଘି କୁଆଁରୀ ଚାଷ, ମୁଗ ଚାଷ , କୋଳଥ ଚାଷ , ସୋରିଷ ଚାଷ । ଆଉ ସବୁଥିରେ ଜୈବ ସାରର ପ୍ରୟୋଗ । ପ୍ରତିଟି ଚାଷ ଜମିରେ ଜୈବ ଉପାୟରେ ପ୍ରସ୍ତୁତ ଖତ ସାରର ପ୍ରୟୋଗ । ଆଉ ଏଥିରେ ସେମାନେ ନିଜ ପ୍ରଚେଷ୍ଟାରେ ତିଆରି କରି ପ୍ରୟୋଗ କରୁଛନ୍ତି । ଜୀବାମୃତ, ବୀଜାମୃତ, ହାଣ୍ଡିଖତ ଏସବୁର ସଂଜ୍ଞା ସେମାନଙ୍କୁ ଦେବାର ଆବଶ୍ୟକତା ପଡ଼ିଲାନି । ସେମାନେ ନିଜେ ଏସବୁରେ ପାରଙ୍ଗମ । ସାଧାରଣ ମହିଳା ମାନଙ୍କ ଭିତରେ ଏ ଆତ୍ମବିଶ୍ୱାସ ନିଶ୍ଚୟ ଓଡ଼ିଶାର କୃଷିର ବିକାଶ ଦିଗରେ ଏକ ଶୁଭ ସଙ୍କେତ ।

ଏବେ ଅନେକ ସ୍ଥାନରେ ଅନେକ କୃଷି କାର୍ଯ୍ୟକ୍ରମ କରାଯାଉଛି । ବିଶେଷଜ୍ଞ ମାନଙ୍କୁ ଡ଼କାଯାଉଛି । ସେମାନେ ଶ୍ରେଣୀଗୃହର ପାଠକୁ ଚାଷୀ ମାନଙ୍କୁ କହୁଛନ୍ତି । ବହି ପାଠ ଆଉ ଚାଷ ପାଠ ଟିକେ ଅଲଗା । କାରଣ ଆମେ ଛାତ୍ରଛାତ୍ରୀଙ୍କୁ ଯେମିତି ପଢେ଼ଇବା ସେମିତି ଚାଷୀ ମାନଙ୍କୁ କହିଲେ ଏହା କାଲ ଆଗରେ ମୂଳା ଚୋବାଇଲା ପରି ହେବ । ଚାଷୀ ମାନେ ୫୦ବର୍ଷର ବାସ୍ତବ ଅଭିଜ୍ଞତାକୁ ଧରି ବସିଥାନ୍ତିି । ଚାଷ ଜମିର ଟିକିନିଖି କୌଶଳ ସେମାନଙ୍କୁ ଜଣା । ଧାନର ଗୁଣ୍ଡି ପୋକ ଠାରୁ ଗଣ୍ଠି ପୋକ ଯାଏଁ ସବୁର ଜୈବ ଉପାୟ ବି ଜଣା । ତେବେ ଏସବୁ କାର୍ଯ୍ୟକ୍ରମରେ ଚାଷୀକୁ ନିଜର ମତବ୍ୟକ୍ତ କରିବାର ସୁଯୋଗ ମିଳୁ । ଚାଷୀ କେବଳ ପ୍ରଶ୍ନ ପଚାରିବାରେ ସୀମିତ ରହିଯାଉଛି । ଚାଷୀକୁ ମନ କଥା କହିବାର ସୁଯୋଗ ମିଳୁ । ଚାଷ ଜମିର ପ୍ରକୃତ କଥା ଚାଷୀ ହିଁ ବଖାଣିପାରେ ।

ଏହି ଉପକ୍ରମରେ ଦେବଗଡ଼ ଜିଲ୍ଲାର ସେ ମହିଳା ମାନେ ସପ୍ତାହରେ ଗୋଟେ ଦିନ ହାଟରେ ଏକାଠି ବସିବାର ମୋର ନଜର ଆସିଲା । ପଚାରିବାରୁ ଉତ୍ତର ଆସିଥିଲା- ବାବୁ , ଆମ ପାଖକୁ କିଏ ଆସି ଜିନିଷ କିଣିବ । ଆମକୁ କିଏ ଜାଣିଛି । ଏଠି ବସିଲେ ହୁଏତ ଲୋକ ଆଜି ନହେଲେ କାଲି ଆମକୁ ଜାଣିବେ । ସତରେ ସେମାନଙ୍କର ଏତାଦୃଶ ମାନସିକତା ନିଆରା । ଧଳା କାଗଜରେ ରଙ୍ଗତୂଳିରେ ଜୈବ ହାଟର ବେନର ବନାଇ ହାଟରେ ଜରି ପକେଇ ବସି ସେମାନେ ନିଜର ଜୈବ ଉତ୍ପାଦକୁ ବିକ୍ରି କରିବାକୁ ବସିଥାନ୍ତି । ଏଇଠୁ ହିଁ ଜୈବ ହାଟର ପରିକଳ୍ପନା ଆରମ୍ଭ ହୋଇପାରେ । ଆଜି ନହେଲେ କାଲି ଯିଏ ଜୈବ ଉତ୍ପାଦକୁ ନଜେ ଚାଖିଥିବ ସେ ପୁଣିଥରେ କିଣିବାକୁ ଆସିବ । କାରଣ ଜୈବ ଉତ୍ପାଦ କେବଳ ଅଭିଜ୍ଞତାରୁ ହିଁ କିଣାଯାଇପାରେ । ସେଥିପାଇଁ ଆଜି ବି ଆମେ ଚୁଲି ଆଳୁଭଜା, ଆଳପୋଡ଼ାକୁ ଭଲ ପାଉ । ସମୟ ଯେତେ ବଦଳିଲେ ବି ଚୁଲି ଆଉ ମାଟିର ବାସ୍ନା କେବେ ରନ୍ଧନ ଗ୍ୟାସ ଦେଇପାରେନି । ଠିକ ସେମିତି ଜୈବ ଚାଷର ମହକ କେବଳ ଅନୁଭବ କରିଥିବା ବ୍ୟକ୍ତି ହିଁ ଜାଣିପାରେ । ଦେବଗଡ଼ର ସେହି ମହିଳା ଚାଷୀ ମାନଙ୍କୁ ପ୍ରଣିପାତ । ଆପଣ ମାନେ ହିଁ ବିକଶିତ ଓଡ଼ିଶାର ପ୍ରମୁଖ କର୍ଣ୍ଣଧାର ।

 

ଡି ଶୁଭମ୍‌ , ଗ୍ରୁପ୍‌ ଏଡ଼ିଟର-ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Spread the love

Leave a Comment

Your email address will not be published. Required fields are marked *

Scroll to Top
×