ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ। ଚାଷୀମାନେ ଏହି ଦିନକୁ ନିଜ ଚାଷକାର୍ଯ୍ୟର ଶୁଭାରମ୍ଭ ବୋଲି ଭାବିଥାନ୍ତି।
ଆମ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। କୃଷି ହେଉଛି ଆମମାନଙ୍କର ଜୀବନରେଖା। ତେଣୁ କୃଷକମାନେ ଏହି ଦିନକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି। ସାଧାରଣତଃ ଅକ୍ଷୟ ତୃତୀୟ ଦିନ ନୂଆ କାମ ଆରମ୍ଭ ହୋଇଥାଏ ପୂଜା, ଶୁଭ କାର୍ଯ୍ୟ କରିବାର ମଧ୍ୟ ପରମ୍ପରା ରହିଛି। ଧାର୍ମିକ ଦୃଷ୍ଟିକୋଣରୁ ମାନ୍ୟତା ରହିଛି ଅକ୍ଷୟ ତୃତୀୟାରେ କରାଯାଇଥିବା କାର୍ଯ୍ୟ ଅନନ୍ତ ପୁଣ୍ୟ ଫଳ ପ୍ରଦାନ କରିଥାଏ। ଏହି ଦିନକୁ ଅପାର ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁ ସଚ୍ଚିଦାନନ୍ଦ ଶ୍ରୀ ଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ