ଚାଷ ପାଇଁ ଯୋଗ୍ୟତା ନୁହେଁ , ମନୋବଳ ଲୋଡ଼ା

0

ଚାଷୀ ହିଁ ଏ ସମାଜ ଓ ସଭ୍ୟତାର ମେରୁଦଣ୍ଡ । କୃଷିର ଆଦ୍ୟ ଓଁକାର । ସାମାଜିକ ଜନଜୀବନ ସହ କୃଷି ସହ ସମ୍ପର୍କ ଢେ଼ର ପୁରୁଣା । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା ଦେଖେ ତାହେଲେ କୃଷି ବିନା ଏସବୁ ଦୁଃସ୍ୱପ୍ନ । ଦିନ ଥିଲା ଏ ସମାଜ ସବୁଜିମାର ବଳୟ ଭିତରେ ଆବଦ୍ଧ ହୋଇ ଥିଲା । ପରିବେଶ ସବୁଜର ଆବରଣରେ ବେଶ ଖୁସି ହୋଇ ହସୁଥିଲା । କୃଷିକୁ କଷ୍ଟ ନୁହେଁ ବରଂ ଏକ କର୍ମସିକ୍ତ ଭାବନାରେ ପ୍ରତିପାଦିତ କରାଯାଉଥିଲା । ଚାଷ ଜମି ଥିଲା ଚାଷୀର ସବୁକିଛି । ସଭ୍ୟତା ଓ ସଂସ୍କୃତିର ମାନଦଣ୍ଡ । ଚାଷ ପାଇଁ କୋ÷ଣସି ଡ଼ିଗ୍ରୀର ଆବଶ୍ୟକତା ନଥାଏ , କେବଳ ଦୃଢ଼ ମନୋବଳ ଓ ଉଦ୍ୟମ ହିଁ ବନ୍ଧ୍ୟା ଜମିରୁ ସୁନା ଫଳେଇପାରେ । ଏହାକୁ ନିଜ ଦୈନନ୍ଦିନ ଜୀବନରେ ପ୍ରତିଫଳିତ କରିଛନ୍ତି ବାସୁଦେବପୁର ସ୍ଥିତ ସିଦ୍ଧେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପାଢ଼ୀ । ପାଠପଢ଼ା ସହ ଚାଷ ପ୍ରତି ଅହେତୁକ ନିଶା ରଖିଥିବା ଏଇ ନିଆରା ମଣିଷଙ୍କ କାର୍ଯ୍ୟଶୈଳୀ ଖୁବ୍‌ ସ୍ୱତନ୍ତ୍ର । ଜଣେ ଆଦର୍ଶ ଶିକ୍ଷକ ହେବା ସହ ଚାଷ କ୍ଷେତ୍ରରେ ବି ବେଶ ପାରଙ୍ଗମ ସେ । ସେମିତି ଜଣେ ନିଆରା ବ୍ୟକ୍ତିତ୍ୱଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ଡ଼ି ଶୁଭମ୍‌…

ପ୍ର:- ଶିକ୍ଷକତା ପେଶା, ଚାଷ ନିଶା- ଏହା ଆପଣଙ୍କର ଆଦର୍ଶ କ’ଣ ପାଇଁ?
ଉ:- ମୋ ବାପା ଜଣେ ଶିକ୍ଷକ ଥିଲେ ମଧ୍ୟ ସେ ଚାଷ କରିବାକୁ ଭଲ ପାଆନ୍ତି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋ ଘର ପାଖରେ ଥିବା ବାଡ଼ିରେ ମୁଁ କିଛି ପନିପରିବା ଚାଷ ଆରମ୍ଭ କଲି । ଏଥିରେ ନିଜକୁ ନିୟୋଜିତ କରିବା ପାଇଁ ଚିନ୍ତା କଲି । ଜଣେ ବିଜ୍ଞାନ ଶିକ୍ଷକ ଭାବେ ମୁଁ ଏହାକୁ ସାଦରେ ଗ୍ରହଣ କରିଛି । ଆଉ ଏବେ ଏସବୁ ମୋର ନିଶା ହୋଇଯାଇଛି ।

nano urea

ପ୍ର:- ଆପଣଙ୍କର କେତେ ଏକର ଜାଗା ଅଛି । କ’ଣ କ’ଣ ଚାଷ କରନ୍ତି ଓ ସେଥିରୁ କେତେ ଲାଭ ପାଇଥାନ୍ତି?
ଉ:- ସର୍ବମୋଟ ୨୦ ଡିସିମିଲ ଜାଗାରେ ମୁଁ ଚାଷ କରୁଛି । ବିଭିନ୍ନ ଋତୁରେ ବିଭିନ୍ନ ଫସଲ ଚାଷ କରୁଛି । ମୁଖ୍ୟତଃ ଏବେ ଓଲ, ଜହ୍ନି, ଭେଣ୍ଡି, କାକୁଡ଼ି ପ୍ରଭୃତି ଚାଷ କରୁଛି । ଜୈବିକ ପଦ୍ଧତିରେ ମୁଁ ସବୁ କିଛି ଚାଷ କରୁଛି ଏବଂ ବିଗତ ୫ ମାସରେ ମୁଁ ୧୦୦୦୦ ଟଙ୍କାର ପରିବା ବିକ୍ରି କରିଛି ।

ପ୍ର:- ଆପଣ କେଉଁ କେଉଁ ଉପାୟରେ ଜୈବିକ ଚାଷ କରୁଛନ୍ତି? କ’ଣ ପାଇଁ ଏହାକୁ ଗୁରୁତ୍ୱ ଦେଉଛନ୍ତି?
ଉ:- ମୁଁ ଜଣେ ବିଜ୍ଞାନ ଶିକ୍ଷକ । ରାସାୟନିକ ସାର ଓ ବିଷର ଫସଲ ପ୍ରତି କୁପ୍ରଭାବ ମୁଁ ଭଲଭାବେ ଜାଣିଛି । ସେଥିପାଇଁ ମୁଁ ଜୈବିକ ଚାଷକୁ ଆପଣେଇଲି । ଗୋବରଖତ, ଜିଆଖତ, ପଚା ପନିପରିବା ଚୋପା, କୁଟା ଗୁଡ଼ିକୁ ମୁଁ ଗଛ ମୂଳରେ ଦେଇଥାଏ । ଏହା ସହ ନିମ୍ବପତ୍ର, ରସୁଣ, କିରୋସିନ, ସାବୁନ ଗୁଣ୍ଡ ମିଶ୍ରଣକୁ ସ୍ପ୍ରେ କରି ବିଭିନ୍ନ କୀଟମାନଙ୍କ ଠାରୁ ରକ୍ଷାକରେ । ଅମୃତପାଣି, ପଞ୍ଚଗବ୍ୟକୁ ମଧ୍ୟ ଆଗକୁ ମୁଁ ଜମିରେ ବ୍ୟବହାର କରିବାର ଯୋଜନା ରଖିଛି ।

ପ୍ର:- କୃଷି ପ୍ରତି ଆଜିର ଯୁବସମାଜ ବିମୁଖ, କିନ୍ତୁ ଆପଣ ପରିଣତ ବୟସରେ କୃଷିକୁ ନିଜ ନିଶା କରିଛନ୍ତି । ତେବେ ଆଜିର ଏହି ବିମୁଖୀ ଯୁବସମାଜକୁ ଆପଣଙ୍କ ପ୍ରତିକ୍ରିୟା କ’ଣ?
ଉ:- ମୁଁ ଏତିକି କହିବି ଯେ, ଯେଉଁ ଯୁବକ ଯୁବତୀମାନେ ବେକାର ହୋଇ ବାହାରେ ବୁଲୁଛନ୍ତି, ଯଦି ସେମାନଙ୍କ ପାଖେ ଜମି ଅଛି, କ୍ଷେତ ଅଛି ତେବେ ସେମାନେ କୃଷିକାର୍ଯ୍ୟ କରିବା ଦରକାର । ଚାକିରୀ ପଛରେ ନ ଧାଇଁ ଚାଷ କ୍ଷେତରେ ୨/୩ ଗୁଣା ଲାଭ ହୋଇ ପାରିବ । କେବଳ ଏଥିପାଇଁ ଉପଯୁକ୍ତ ପଦ୍ଧତି ଆବଶ୍ୟକ । ଜିଲ୍ଲାର କୃଷି ସଂପ୍ରସାରଣ ଅଧିକାରୀ, କୃଷିପତ୍ରିକା ‘ଶ୍ୟାମଳ ସୁବର୍ଣ୍ଣ’ର ବଳିଷ୍ଠ ଲେଖକମାନଙ୍କର କୃଷିଭିତ୍ତିକ ଲେଖାକୁ ଆଧାର କରି ଉନ୍ନତ କୃଷି କରାଯାଇ ପାରିବ ।

ପ୍ର:- ‘ଶ୍ୟାମଳ ସୁବର୍ଣ୍ଣ’ ସମ୍ପର୍କରେ କ’ଣ ମତାମତ ଦେବେ?
ଉ:- ପ୍ରଥମତଃ ମୁଁ କହିବି ଯେ ଶ୍ୟାମଳ ସୁବର୍ଣ୍ଣ ହିଁ ମୋ ନିଶାର ଏନ୍ତୁଡ଼ିଶାଳ । ଏପ୍ରିଲ ମାସ ଉନ୍ମୋଚନ ଅବସରରେ ମୁଁ ମଧ୍ୟ ଉପସ୍ଥିତ ଥିଲି ଓ ପତ୍ରିକା ପାଇ ଲେଖା ଗୁଡ଼ିକ ପଢ଼ିଥିଲି । ବାସ୍ତବରେ ଉପାଦେୟ ଲେଖାମାନରେ ସମୃଦ୍ଧ ଏହି ପତ୍ରିକା । ଏହା ମୋତେ ଖୁବ୍‌ ମାତ୍ରାରେ ପ୍ରଭାବିତ କରିଥିଲା । ଏହା ସହ ଏହାର ସମ୍ପାଦକଙ୍କ ସହ ମୁଁ ଯୋଗାଯୋଗ କରି ମୋ ଚାଷଜମିରେ ବିଭିନ୍ନ ସମସ୍ୟାର ସମାଧାନ କରିଛି । ଏହି ସଂଖ୍ୟାରେ ବାହାରୁ ଥିବା ନୂତନ ପୃଷ୍ଠା ‘ଆପଣଙ୍କ ସମସ୍ୟା ଆମ ସମାଧାନ’ ନିହାତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୋ ନିଜ ଅଞ୍ଚଳରୁ ବାହାରୁ ଥିବାରୁ ଆଉ ଏହାର ସମ୍ପାଦକ ଆମ ଅତିପ୍ରିୟ ଶୁଭମ ସୁନ୍ଦର ଭାବେ ପତ୍ରିକା ସଂଯୋଜନା କରୁଥିବାରୁ ମୁଁ ସାଧୁବାଦ ଜଣାଉଛି ଓ ପତ୍ରିକାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

Leave A Reply

Your email address will not be published.

six − four =